ମୁମ୍ବାଇ: ଅଯୋଧ୍ୟାରେ ଘର ନିର୍ମାଣ କରିବେ ବିଗ୍ ବି ଅମିତାଭ ବଚ୍ଚନ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାର ‘ଦି ସରଯୁ’ରେ ଅମିତାଭ ବଚ୍ଚନ ୧୪.୫ କୋଟି ଟଙ୍କାର ପ୍ଲଟ୍ କିଣିଥିବା ନେଇ ‘ରିୟଲ୍ ଇଷ୍ଟେଟ୍’ ଶିଳ୍ପସୂତ୍ରରୁ ଜଣାପଡ଼ିଛି। ବଚ୍ଚନ ଯେଉଁ ପ୍ଲଟ୍ରେ ଘର ତିଆରି କରିବେ ତାହା ପ୍ରାୟ ୧୦,୦୦୦ ବର୍ଗ ଫୁଟ୍ ହେବ। ସେ ଏହି ପ୍ଲଟ୍ ମୁମ୍ବାଇର ଏକ ଡେଭଲପର୍ କମ୍ପାନୀ ‘ହାଉସ୍ ଅଫ୍ ଅଭିନନ୍ଦନ ଲୋଢା’ ମାଧ୍ୟମରେ କିଣିଛନ୍ତି। ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ଼ ବଡ଼ ସେଲିବ୍ରିଟି ସାମିଲ ହେବେ । କ୍ରୀଡ଼ା, ରାଜନୀତି ଓ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ । ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆମନ୍ତ୍ରଣ କରାଯାଇଛି ।
ଅଯୋଧ୍ୟାଠାରୁ ଅମିତାଭ ବଚ୍ଚନଙ୍କ ଜନ୍ମସ୍ଥାନ ବେଶି ଦୂର ନୁହେଁ। ବିଗ୍ ବି ହେଉଛନ୍ତି ପ୍ରୟାଗରାଜ ବାସିନ୍ଦା | ପ୍ରୟାଗରାଜରୁ ଅଯୋଧ୍ୟା ଦୂରତା ୫ ଘଣ୍ଟାରୁ ବି କମ୍ | ଅଯୋଧ୍ୟାରେ ଅମିତାଭ ବଚ୍ଚନ ପ୍ଲଟ୍ କିଣିବା ଏକ ମାଇଲଖୁଣ୍ଟ ବୋଲି କହିଛି ଠିକାଦାର କମ୍ପାନୀ । ବିଗ୍ ବିଙ୍କ ନିବେଶ ଏହି ପ୍ରକଳ୍ପକୁ ଅଯୋଧ୍ୟାର ଆଧ୍ୟାତ୍ମିକ ମହତ୍ତ୍ବର ପ୍ରତୀକରେ ପରିଣତ କରିବ ବୋଲି କମ୍ପାନୀ କହିଛି ।
