ପ୍ରେମିକା ସହ ମିଶି କଲେଜରେ ବ୍ରାଉନ୍ସୁଗର କାରବାର କରୁଥିଲେ B-Tech ଛାତ୍ର। ନିଜେ ବ୍ରାଉନ୍ସୁଗର ଖାଇବା ସହିତ ସାଙ୍ଗ ଓ ସହପାଠୀଙ୍କୁ ବିକ୍ରି କରୁଥିଲେ। ଭଲ ରୋଜଗାର ମଧ୍ୟ କରୁଥିଲେ। ସେହି ଅର୍ଥରେ ଅଏସ୍ କରୁଥିଲେ ପ୍ରେମିକ ଓ ପ୍ରେମିକା! ମୌଜ ମଜଲିସ୍ କରୁଥିଲେ। ଆଜି ଏପରି ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ଅବକାରୀ ବିଭାଗ। ପ୍ରେମିକ ଓ ପ୍ରେମିକାଙ୍କ ସହ ୩ ଜଣଙ୍କୁ ମାଡ଼ି ବସିଛି। ସେମାନଙ୍କଠାରୁ ୨୭୫ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରିଛି।
ସୁଭ୍ରଜ୍ୟୋତି ହେଉଛନ୍ତି ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ବିଟେକ୍ ଛାତ୍ର। ତାଙ୍କର ପ୍ରେମିକା ହେଉଛନ୍ତି ରୀମା(ଛଦ୍ମନାମ)। ଆଉ ତାଙ୍କ ବନ୍ଧୁ ହେଉଛନ୍ତି ରାହୁଲ୍ ନାୟକ। ଏମାନେ ପାଠ କମ୍ ପଢ଼ନ୍ତୁ, କିନ୍ତୁ ନିଶା କାରବାର ବେଶୀ କରନ୍ତି। କହିବାକୁ ଗଲେ ବ୍ରାଉନ୍ସୁଗର କାରବାର କରିବା ସୁଭ୍ରଜ୍ୟୋତି ପେଶା। ପାଠ ପଢ଼ିବା ବାହାନାରେ ସୁଭ୍ରଜ୍ୟୋତି, ତାଙ୍କ ପ୍ରେମିକା ରୀମା ଓ ବନ୍ଧୁ ରାହୁଲ୍ କଲେଜରେ ବ୍ରାଉନ୍ସୁଗର କାରବାର କରନ୍ତି। ନିଜେ ବ୍ରାଉନ୍ସୁଗର ଖାଇବା ସହିତ କଲେଜରେ ପଢ଼ୁଥିବା ନିଜ ସହପାଠୀଙ୍କୁ ଖାଇବାକୁ ଦେଉଥିଲେ। ଆଉ ଅଭ୍ୟାସରେ ପଡ଼ିବା ପରେ ଛାତ୍ରଛାତ୍ରୀଙ୍କୁ ବ୍ରାଉନ୍ସୁଗର ବିକି ଭଲ ରୋଜଗାର ମଧ୍ୟ କରୁଥିଲେ। ଏମାନେ ଦୀର୍ଘ ଦିନ ଧରି ଏହି କାରବାର କରି ଆସୁଥିଲେ।
