ଭୁବନେଶ୍ୱର: ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୧୨ଦିନ ଛୁଟି । ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ରାଜ୍ୟ ସରକାର ଆଗରୁ ନିଷ୍ପତ୍ତି ନେଇଥିଲେ । ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ଯାଏଁ ଛୁଟି ନେଇପାରିବେ । ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ । ଅଣ-ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ହେଉଥିବା ଶାରୀରିକ ଅସୁବିଧାକୁ ବିଚାର କରି ରାଜ୍ୟ ସରକାର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ପ୍ରଚଳିତ ୧୦ ଦିନର ସାମୟିକ ଛୁଟି ଓ ୫ ଦିନର ସ୍ବତନ୍ତ୍ର ସାମୟିକ ଛୁଟି ବ୍ୟତୀତ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
