‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୫ ଜିଲ୍ଲାରେ ୬୭ ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୫ ଜିଲ୍ଲାରେ ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଏହି ଚିକିତ୍ସାଳୟ ଲୋକାର୍ପଣ ହୋଇଛି । ଅନୁଗୁଳ ଜିଲ୍ଲାରେ ୬ଟି ହସ୍ପିଟାଲ ଥିବା ବେଳେ ବଲାଙ୍ଗୀରରେ ୫, ଦେବଗଡ଼ରେ ୧, ସୁବର୍ଣ୍ଣପୁରରେ ୨, ପୁରୀରେ ୫, ବାଲେଶ୍ବରରେ ୮ , ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ଖୋର୍ଦ୍ଧାରେ ୭, ଭୁବନେଶ୍ବରରେ ୪, ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ଟି ଆମ ହସ୍ପିଟାଲର ଲୋକାର୍ପଣ ହୋଇଛି ।

ଏହା ସହ ସୁବର୍ଣ୍ଣପୁର ଜିଲ୍ଲାର ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜର ୬୫୦ ଶଯ୍ୟା ଉଦଘାଟନ ହୋଇଛି । ସେହିପରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜକୁ ମିଳିଛି ୫୦୦ ଶଯ୍ୟା ।

ଏଥିସହ ନୂଆ ମେଡିକାଲ ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଉପଖଣ୍ଡ ହସ୍ପିଟାଲ, ୯୦୦ କୋଟି ଟଙ୍କା ବ୍ୟୟରେ କଟକର AHPGIC, ୯୫୦ କୋଟିରେ ବ୍ରହ୍ମପୁର MKCG, ୯୫୦ କୋଟିରେ ବୁର୍ଲା ଭୀମସାର, ୬୬୦ କୋଟିରେ RGH ରାଉରକେଲାର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ। ସରକାରୀ ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି। ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି। ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

728×90