ଆଦାୟ ହୋଇପାରୁନି ୧୨୧୫ କୋଟି: ଜରିମାନା ଦେବାକୁ ପ୍ରସ୍ତୁତ ନୁହନ୍ତି ଗାଡ଼ି ମାଲିକ

କଟକ: ରାଜ୍ୟରେ ଟ୍ରାଫିକ ନିୟମ ମାନିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନାହାନ୍ତି ଗାଡ଼ିଚାଳକ। ଗଲା ଚାରି ବର୍ଷ ଭିତରେ ରାଜ୍ୟରେ ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ମୋଟ ୧୨୧୫ କୋଟି ଟଙ୍କାର ଚାଲାଣ ଗାଡ଼ି ମାଲିକମାନେ ଜମା କରିନାହାନ୍ତି। ଏନେଇ ସେମାନଙ୍କୁ ସମନ୍ ଯାଇଥିବା ସତ୍ତ୍ବେ ଜମା ନ କରିବା ଘଟଣାକୁ ନେଇ ପରିବହନ ବିଭାଗ ଚିନ୍ତାରେ ପଡ଼ିଯାଇଛି। ସେଥିପାଇଁ ବାଧ୍ୟ ହେଇ ଏହି ଅର୍ଥ ଛାଡ଼ କରିବାକୁ ବିଚାରବିମର୍ଷ କରି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ଚିନ୍ତାଜନକ ହୋଇଥିବା ବେଳେ ଏହାକୁ ରୋକିବାକୁ ଟ୍ରାଫିକ ନିୟମ ଭାଙ୍ଗୁଥିବା ଖିଲାପୀଙ୍କ ବିରୋଧରେ ଜରିମାନା କଡ଼ାକଡ଼ି କରିବାକୁ ଉଭୟ ପରିବହନ ବିଭାଗ ଓ ଓଡ଼ିଶା ପୁଲିସ ପକ୍ଷରୁ କସରତ କରାଯାଉଛି। କିନ୍ତୁ ଏହି ଜରିମାନା ଅର୍ଥ ବି ଗାଡ଼ି ମାଲିକମାନେ ଜମା କରୁନାହାନ୍ତି। ପରିବହନ ବିଭାଗର ତଥ୍ୟ ମୁତାବକ, ରାଜ୍ୟରେ ୨୦୨୧ରେ ୧୦ ହଜାର ୯୮୪ଟି ଦୁର୍ଘଟଣା ଘଟିଥିଲା ବେଳେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ରେ ୧୧ ହଜାର ୬୬୩ଟି ଦୁର୍ଘଟଣା ଘଟିଥିଲା ବେଳେ ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୩ରେ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୯୯୨ଟି ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫ ହଜାର ୭୩୯ଟି ହୋଇଛି। ଗ୍ରାମାଞ୍ଚଳରେ ୬୦ ପ୍ରତିଶତ ଦୁର୍ଘଟଣା ଘଟିଛି। ରାଜ୍ୟରେ ଘଟିଥିବା ମୋଟ ଦୁର୍ଘଟଣାର ୭୦ ପ୍ରତିଶତ କେବଳ ଯୁବଗୋଷ୍ଠୀଙ୍କର ହୋଇଥିବାରୁ ପରିବହନ ବିଭାଗର ରିପୋର୍ଟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗଲା ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ୪୫ ହଜାର ଚାଳକଙ୍କ ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଗାଡ଼ି ମାଲିକମାନେ ଚାଲାଣ ଜମା କରିବାକୁ ଲୁଚିବା ବି ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି।

728×90