ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ସାରା ଦେଶର ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ ବଡ଼ ପର୍ଦ୍ଦାଫାଶ ହୋଇଛି। ଆରଜି ହସ୍ପିଟାଲର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ନାଁ ସଙ୍ଗୀନ ଅଭିଯୋଗ ହୋଇଛି। ସନ୍ଦୀପ, ଟ୍ରେନି ଡାକ୍ତରଙ୍କ ଘଟଣା ପରେ କଲେଜରୁ ଇସ୍ତଫା ଦେଇଥିଲେ।
ହସ୍ପିଟାଲର ପୂର୍ବ ସୁପରଟେଣ୍ଡ ଅଭିଯୋଗ ଆଣିଛନ୍ତି କି, ପୂର୍ବ ପ୍ରିନ୍ସପାଲ ସନ୍ଦୀପ କିଛି ଅବୈଧ ଗତିବିଧୀରେ ସାମିଲ୍ ଅଛନ୍ତି। ସେ ମୃତଦେହକୁ ବିକ୍ରି କରି ରାକେଟ ଚଳାଇଛନ୍ତି। ଚିହ୍ନଟ ହୋଇ ନ ଥିବା ମୃତଦେହକୁ ସେ ବିକ୍ରି କରନ୍ତି। ପୂର୍ବ ସୁପରଟେଣ୍ଡ ଅଖତର ଅଲି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାରରେ କହିଛନ୍ତି, ସନ୍ଦୀପ ବାଂଲାଦେଶରେ ବାୟୋମେଡିକାଲ ଆବର୍ଜନା ଓ ମେଡିକାଲ ସପ୍ଲାଏ ତସ୍କରରେ ସାମିଲ୍ ଅଛନ୍ତି।
ସେ ଆହୁରି ଅଭିଯୋଗ କରିଛନ୍ତି, ଏହି ରାକେଟ ଚଳାଇବା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। ହେଲେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।
ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ଏକ୍ସ ପ୍ରିନ୍ସପାଲଙ୍କୁ କିଛି ଗଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା। ସୁପରିଟେଣ୍ଡ ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି କି, ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍ କରିଦେଇଛନ୍ତି। ଯାହାଦ୍ୱାରା ତାଙ୍କଠାରୁ ମୋଟା ଅଙ୍କର କଲେଜ ଫି ଆଦାୟ କରିପାରିବେ।
କୋଲକାତାର ଆର୍.ଜି. କର୍ ମେଡିକାଲ କଲେଜ ଓ ହସ୍ପିଟାଲ୍ସରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ଭାର କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିଛନ୍ତି। ସିବିଆଇ ମାମଲାର ତଦନ୍ତ ଜାରି ରଖିଛି। ତେବେ ଉକ୍ତ ମେଡିକାଲ କଲେଜରେ ଟ୍ରାନ୍ସଫର ପୋଷ୍ଟିଂ ପାଇଁ ଲାଞ୍ଚ କାରବାର ହେଉଥିବା ନେଇ ସିବିଆଇ ତଦନ୍ତରୁ ଜଣାପଡ଼ିଛି। ସେହିପରି ଦୀର୍ଘଦିନ ଧରି ବେଆଇନ ଔଷଧ କାରବାର ମଧ୍ୟ ଆର୍.ଜି. କର୍ ମେଡିକାଲ କଲେଜରେ ହେଉଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି।
ଏହି ବେଆଇନ ଔଷଧ ରାକେଟ ବର୍ଷ ବର୍ଷ ଧରି କେବଳ ଉକ୍ତ ମେଡିକାଲ କଲେଜ ନୁହେଁ ବରଂ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଅନ୍ୟାନ୍ୟ ମେଡିକାଲ କଲେଜକୁ ବ୍ୟାପିଛି। ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଦ୍ୱାରା କିଣାଯାଇଥିବା କୋଟି କୋଟି ମୂଲ୍ୟର ଏହି ମେଡିସିନ ବିଭିନ୍ନ ଅବୈଧ ନେଟ୍ଓ୍ବାର୍କ ମାଧ୍ୟମରେ ଘରୋଇ ମେଡିକାଲ ଷ୍ଟୋରଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି। ଯେଉଁ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀ ବିଭିନ୍ନ ଫୋରମ୍ରେ ଏହି ଦୁର୍ନୀତି ଏବଂ ଅନିୟମିତତା ବିରୋଧରେ ସ୍ବର ଉଠାଉଥିଲେ ସେମାନଙ୍କୁ ଟାର୍ଗେଟ କରାଯାଇ ବଳାତ୍କାର ଏବଂ ହତ୍ୟା କରାଯାଉଥିଲା। ତେବେ ଉଭୟ ଦୁର୍ନୀତିରେ ରାଜ୍ୟ ସରକାରଙ୍କ କେତେଜଣ ବରିଷ୍ଠ ଅଧିକାରୀ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
