ଆଜି ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ଏଣୁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ବନକଲାଗି ନୀତି ରହିଥିବାରୁ ଏହି ସମୟରେ କେହି ଶ୍ରୀଜିୟୁଙ୍କୁ ଦର୍ଶନ କରିପାରିବେ ନାହିଁ। ତେବେ ନୀତି ସରିବା ପରେ ସମସ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବ।
ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ।
