ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ: ଦୀର୍ଘ ୧୨ ବର୍ଷ ହେଲା ଲାଗି ରହିଥିବା ବିଜୟ ଧାରାରେ ଲାଗିଛି ବ୍ରେକ। ଘରୋଇ ମାଟିରେ କ୍ରମାଗତ ୧୮ଟି ଟେଷ୍ଟ ସିରିଜ ବିଜୟ ପରେ ଟିମ ଇଣ୍ଡିଆକୁ ଧୂଳି ଚଟାଇଛି ନ୍ୟୁଜିଲ୍ୟାଣ୍ଡ। ୧୯୫୫ରୁ ଭାରତ ମାଟିରେ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ସେଇଟା ଏବେ ପୁଣେରେ ପୂରଣ ହୋଇଛି। ପୁଣେ ଟେଷ୍ଟକୁ କ୍ୱିୱି ଟିମ ୧୧୩ ରନରେ ଜିତି ଭାରତ ମାଟିରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି।

ଭାରତୀୟ ଟିମ ୨୦୧୨ ଠାରୁ କ୍ରମାଗତ ଭାବେ ଘରୋଇ ମାଟିରେ ଟେଷ୍ଟ ସିରିଜ ଜିତି ଆସୁଥିଲା। ଦଳ ଶେଷ ଥର ପାଇଁ ୧-୨ରେ ଇଂଲଣ୍ଡ ଠାରୁ ଘରୋଇ ପରିବେଶରେ କୌଣସି ଟେଷ୍ଟ ସିରିଜ ହାରିଥିଲା। ହେଲେ ଏବେ ୧୨ ବର୍ଷ ପରେ ଇତିହାସ ବଦଳିଛି। ଭାରତ ୪୩୩୧ ଦିନ ପରେ ନିଜ ମାଟିରେ ଟେଷ୍ଟ ସିରିଜ ହାରିବାର ଲଜ୍ଜା ମୁଣ୍ଡାଇଛି।

ନ୍ୟୁଜିଲ୍ୟାଣ୍ଡ ନିଜ ସ୍ପିନ ଯାଦୁ ବଳରେ ଭାରତକୁ ମାତ ଦେଇଛି। ୨୦୨୧ରେ ନ୍ୟୁଜିଲ୍ୟାଣ୍ଡ ୦-୧ରେ ଭାରତ ଠାରୁ ହାରି ସ୍ୱଦେଶ ଫେରିଥିଲା। ଏବେ ଦଳ କିନ୍ତୁ ସମସ୍ତଙ୍କୁ ଚକିତ କରି ପ୍ରଥମେ ବେଙ୍ଗାଲୁରୁ ଓ ଆଜି ପୁଣେ ଟେଷ୍ଟରେ ବିଜୟ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତକୁ ଆସିବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୦-୨ରେ ଶ୍ରୀଲଙ୍କା ଠାରୁ ହାରିଥିଲା। ଦଳ ବାଉନ୍ସ ବ୍ୟାକ କରି ଭାରତ ଭଳି ଗୋଟିଏ ଶକ୍ତିଶାଳୀ ଦଳକୁ ଘରୋଇ ମାଟିରେ ମାତ ଦେଇଛି।

ଦଳର ଷ୍ଟାର ଅଲରାଉଣ୍ଡର ମିଚେଲ ସାଣ୍ଟନର ପୁଣେ ଟେଷ୍ଟରେ କମାଲ କରିଛନ୍ତି। ପ୍ରଥମ ଇନିଂସରେ ସେ ୭ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହାପୂର୍ବରୁ ସେ କେବେ ବି ଟେଷ୍ଟରେ ୫ ଫର ଦଖଲ କରି ନେଇଥିଲେ। ଭାରତ ବିପକ୍ଷରେ ସେ ଜବରଦସ୍ତ ପ୍ରଦର୍ଶନ କରିବାରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଐତିହାସିକ ବିଜୟ ହାସଲ କରିଛି।

728×90