ନବୀନ ଗଢିଲେ ଛାୟା କ୍ୟାବିନେଟ

ଭୁବନେଶ୍ୱର: ବୁଧବାର ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। କ୍ଷମତାସୀନ ମନ୍ତ୍ରୀମଣ୍ଡଳ ପରି ବିରୋଧୀଙ୍କ ମଧ୍ୟ ଏକ ମନ୍ତ୍ରୀ ମଣ୍ଡଳ ରହିଛି ଯାହାକୁ ‘ଛାୟା କ୍ୟାବିନେଟ’ ବୋଲି କୁହାଯାଏ। ଭାରତରେ ଯେଉଁ ସଂସଦୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ସରକାର ଚଳାଇଥା’ନ୍ତି ଏହି ଶାସନ ପଦ୍ଧତି ବ୍ରିଟେନରୁ ଆସିଛି। ବ୍ରିଟେନ ସଂସଦୀୟ ପ୍ରଥାରେ ଏମିତି ଏକ ବ୍ୟବସ୍ଥା ରହିଛି ଯାହା ଆମ ଦେଶରେ ଦେଖିବାକୁ ମିଳିଥାଏ। ତାହା ହେଉଛି ‘Shadow Cabinet’ ବା ଛାୟା କ୍ୟାବିନେଟ। ଏହି କ୍ୟାବିନେଟରେ ସାମିଲ ବିରୋଧୀ ନେତା, ସରକାରଙ୍କ ନୀତି ଓ ବିଭାଗ ଉପରେ ନଜର ରଖିବା ପାଇଁ ଏହି ଛାୟା କ୍ୟାବିନେଟ ଗଠନ କରିଥା’ନ୍ତି। ବ୍ରିଟେନ ସମେତ ଅନେକ ପଶ୍ଚିମ ଦେଶମାନଙ୍କରେ ଏହି ଛାୟା କ୍ୟାବିନେଟ ବହୁଳ ପ୍ରଚଳିତ ଅଟେ। କିନ୍ତୁ ଭାରତ ପାଇଁ ଏହା ନୁହେଁ। ଦେଶର ଅନେକ ରାଜ୍ୟରେ ଏପରି କ୍ୟାବିନେଟ ଗଠନ ହୋଇ ସାରିଛି। ଜାଣନ୍ତୁ ଏହି କ୍ୟାବିନେଟ ସମ୍ପର୍କରେ…

ବ୍ରିଟିଶ ମଡେଲର ଏହି ସଂସଦୀୟ ପଦ୍ଧତିରେ ବିରୋଧୀ ଦଳର ନେତାଙ୍କୁ ଛାୟା ପ୍ରଧାନମନ୍ତ୍ରୀ ବା ରାଜ୍ୟର ବିଧାନସଭାରେ ଛାୟା ମୁଖ୍ୟମନ୍ତ୍ରୀ କୁହାଯାଏ। ଅର୍ଥାତ ସେ ପ୍ରଧାନମନ୍ତ୍ରୀଙ୍କ ଛାୟା ପରି। ଏହି ନିୟମ ଅନୁଯାୟୀ, ଯଦି ଶାସକ ସରକାର ଇସ୍ତଫା ଦିଅନ୍ତି କିମ୍ବା ଗୃହରେ ଅବିଶ୍ୱାସ ପ୍ରସ୍ତାବରେ ବହୁମତ ହରାନ୍ତି ତେବେ ବିରୋଧୀ ଦଳର ନେତା ଶାସନ କମାଣର ଦାୟିତ୍ୱ ନିଅନ୍ତି। ନୂଆ ସରକାର ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଆନୁଷ୍ଠାନିକ ଭାବେ ଶପଥ ନେବା ସହ ବିରୋଧୀ ଦଳର ନେତା ମଧ୍ୟ ନିଯୁକ୍ତ ହୋଇଥା’ନ୍ତି। ଶାସନକ୍ଷମତାରେ ଥିବା ସରକାର ନିଜର କ୍ୟାବିନେଟ ଗଠନ କରୁଥିବାବେଳେ ଏହି କ୍ୟାବିନେଟର କାର୍ଯ୍ୟକାରିତା ଉପରେ ନଜର ରଖିବା ଏବଂ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବିରୋଧୀଙ୍କ ନେତୃତ୍ୱରେ ଏକ ଛାୟା କ୍ୟାବିନେଟ ଗଠନ ହୋଇଥାଏ।

728×90