ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

କାମାକ୍ଷାନଗର: ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ରୁପାବେଡା ଗାଁରେ । କାମ ସାରି ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଗନ ନାଏକ । ଗଗନଙ୍କୁ ପଥର ଛେଚି ଦୁର୍ବୃତ୍ତ ମାନେ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଗଗନ କାମ ସାରି ନିଜ ସ୍ତ୍ରୀଙ୍କ ସହ କଙ୍କଡାହାଡ଼ରୁ ନିଜ ଗାଁ ରୁପାବେଡା ଫେରୁଥିଲେ। ଏହି ସମୟରେ ଗାଁ ମୁଣ୍ଡ ପୋଲ ନିକଟରେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇ ଥିଲେ । ଅଟକାଇବାର କାରଣ ପଚାରିବାରୁ ଦୁର୍ବୃତ୍ତ ମାନେ ଗଗନଙ୍କୁ ତାଙ୍କ ସ୍ତ୍ରୀଙ୍କ ସାମ୍ନାରେ ପଥରରେ ଛେଚି ହତ୍ୟା କରିଥିଲେ । ତାଙ୍କ ସ୍ତ୍ରୀ ଏହାକୁ ବାରଣ କରିବାରୁ ତାଙ୍କୁ ମଧ୍ୟ ଧକ୍କା ମାରିଥିଲେ ।

ତେବେ କୌଣସି ମତେ ଗଗନଙ୍କ ସ୍ତ୍ରୀ ନିଜ ପରିବାର ଲୋକଙ୍କୁ ଏ ବିଷୟରେ ସୂଚନା ଦେବା ପରେ ପରିବାର ଲୋକେ ତୁରନ୍ତ ଗଗନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗଗନଙ୍କ ମୃତ୍ୟୁ ହୋଇଥିଲା । ଗଗନଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ କଙ୍କଡାହାଡ଼ ପୋଲିସ କାମାକ୍ଷାନଗର ମେଡିକାଲରେ ପହଞ୍ଚି ମୃତଦେହ କୁ ଜବତ କରିଛି । ତେବେ କେଉଁ କାରଣରୁ ଗଗନଙ୍କୁ ପଥର ରେ ଛେଚି ହତ୍ୟା କରାଯାଇଛି ଓ କେଉଁ ମାନେ ହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।

728×90