ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ଧାର୍ଯ୍ୟ ଅବଧିରେ ସାରିବା ପାଇଁ ଲାଗିପଡ଼ିଛି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ(ବିଏମ୍ଆରସି)। ମାଟି ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଟ୍ରାଫିକ୍ ଯେଭଳି ଶୃଙ୍ଖଳିତ ହେବ ସେ ଡିଜାଇନ୍ ବଦଳିଛି। ମାଟି ପରୀକ୍ଷା ଓ ଖୁମ୍ବ ପୋତିବା ପାଇଁ ରାସ୍ତାର ପ୍ରାୟ ୫୦ ପ୍ରତିଶତ ପ୍ରଭାବିତ ହେଉଥିବାରୁ ଶିଶୁଭବନରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତାକୁ (ଉଭୟ ପାର୍ଶ୍ବରେ) ୨ରୁ ୩ ମିଟର ପର୍ଯ୍ୟନ୍ତ ଚଉଡ଼ା ହେଉଛି। ଏହି ପ୍ରକ୍ରିୟା ପଟିଆରେ ଆରମ୍ଭ ହୋଇଛି। ଅନ୍ୟପଟେ ରାସ୍ତାକଡ଼ ଓ ମାଟି ତଳେ ଥିବା ବିଭିନ୍ନ ସେବାପାଇଁ ଭିତ୍ତିଭୂମି ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ ସରିବା ସହ ବିଏମ୍ଆର୍ସିରେ ରିପୋର୍ଟ ଦାଖଲ ହୋଇଛି। ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ରେଳ ଧାରଣା ମାଟିରୁ ୧୩ ମିଟର ଉଚ୍ଚାରେ ଯିବ। ଏୟାରପୋର୍ଟରୁ ତ୍ରିଶୂଳିଆ ଯିବା ବେଳେ ଏହି ଧାରଣା ରାଜମହଲ ଓ ଜୟଦେବ ବିହାର ଫ୍ଲାଏଓଭର ଓ ବାରଙ୍ଗ ଆରଓବି ଉପର ଦେଇ ଯିବ। ଏଣୁ ସେହି ଅନୁପାତରେ ଉଭୟ ସ୍ଥାନରେ ଡିଜାଇନ୍ କରାଯାଇଥିବା ସୂଚନା ମିଳିଛି।
