ଭୁବନେଶ୍ବର: ଓଡିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁନର ଧମକପୂର୍ଣ୍ଣ ମେସେଜକୁ ନେଇ ଏବେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ଏନେଇ ଅଧିକ ତଥ୍ୟ ପାଇଁ ଆଜି ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହିତ ଆବଶ୍ୟକ ହେଲେ ଏନଆଇଏ ଏହାର ତଦନ୍ତ କରିବା ନେଇ ମଧ୍ୟ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ସେପଟେ ପନ୍ନୁନ୍ ପଟାଇଥିବା ମେସେଜକୁ ଯାଞ୍ଚ କରାଯିବା ପରେ ଉକ୍ତ ଇମେଲ ଆଇଡି ଏବଂ ଡୋମେନ୍ ଧମକ ଦେବାର ଦୁଇ ଦିନ ପୂର୍ବରୁ ବୁକ୍ କରାଯାଇଥିବା ସୂଚନା ଦେଇଛନ୍ତି ସାଇବର ଏକ୍ସପଟ୍।
ତେବେ କହିରଖୁଛୁ, ଗତ ଶୁକ୍ରବାର ପ୍ରଥମ ଥର ପାଇଁ ରାଜ୍ୟରେ ସର୍ବଭାରତୀୟ ଆଇଜି/ଡିଜିପି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଗୃହମନ୍ତ୍ରୀ ଅମିତ୍ ଶାହ, ଦେଶ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ କେନ୍ଦ୍ର କରି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁନ୍ କିଛି ନିର୍ଦ୍ଦିଷ୍ଟ ବରିଷ୍ଠ ଓଡିଆ ସାମ୍ବାଦିକଙ୍କୁ ଇ-ମେଲ ଜରିଆରେ ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲା। ଏଥିସହିତ ଏକ ଅଡିଓ ବାର୍ତ୍ତା ମଧ୍ୟ ଦେଇଥିଲା। ଭୁବନେଶ୍ବର ବିମାନବନ୍ଦରକୁ ରବିବାର ନଯିପା ପାଇଁ ଚେତାବନୀ ଦେଇଥିଲା। ସବୁଠୁ ବଡ କଥା ହେଉଛି, ଏହା ଧମକପୂର୍ଣ୍ଣ ମେସେଜ୍ ଉଭୟ ଓଡିଆ ଏବଂ ଇଂରାଜୀରେ ଲେଖାଯାଇଥିଲା। ଯାହାକୁ ନେଇ ଏଥିରେ କେହି ଓଡିଆ ଲୋକ ସମ୍ପୃକ୍ତି ଥିବା କିମ୍ବା ଓଡିଶାରୁ ପନ୍ନୁନର ସ୍ନିପର ସେଲ୍ କାମ କରୁଥିବା ସନ୍ଦେହ କରି ଖୋଳତାଡ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ।
