ପାକିସ୍ତାନ: ପାକିସ୍ତାନର ବଲୁଚିସ୍ତାନରେ ଏକ ଯାତ୍ରୀବାହୀ ବସ୍ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ଅତି କମରେ ୨୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ବସ୍ ଅଟକାଇ ଯାତ୍ରୀମାନଙ୍କ ପରିଚୟ ଜାଣିବା ପରେ ସେମାନଙ୍କୁ ହତ୍ୟା କରିଥିବା କୁହାଯାଉଛି। ସୂଚନା ଅନୁସାରେ, ଆଜି ସକାଳେ ପାକିସ୍ତାନର ପଞ୍ଜାବ ଅଞ୍ଚଳର କିଛି ଯାତ୍ରୀ ବଲୁଚିସ୍ତାନ ଅଭିମୁଖେ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ମୁସାଖେଲ ଜିଲ୍ଲା ନିକଟରେ ବସ୍ ଅଟକାଇ ଓହ୍ଲାଇବାକୁ କହିଥିଲେ। ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ଯାତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଏହି ବର୍ବରତାରେ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି ଘଟଣାକୁ ଦୃଢ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
