ଭଦ୍ରକ: ଶେଷ ପର୍ଯ୍ୟାୟ ଭୋଟ ଦେଉଛି ଓଡ଼ିଶା। ଶନିବାର ଏହି ଭୋଟ ଚାଲିଥିବାବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହିକ୍ରମରେ ଭଦ୍ରକର ମୁକ୍ତାଡିହ ବୁଥ ଆଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁକ୍ତାଡିହ ବୁଥ ଆଗରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି। ପାରିବାରିକ କଳହକୁ ନେଇ ଏପରି ଘଟଣା ଘଟିଥିବା କୁହାଯାଉଛି।
ଆଜି ପୂର୍ବାହ୍ଣରେ ରଶ୍ମିରେଖା ନିଜ ଦାଦାଙ୍କ ସହିତ ଭୋଟ୍ ଦେବା ପାଇଁ ମୁକ୍ତାଡିହି ଗାଁକୁ ଆସିଥିଲେ। ଏଠାରେ କରାଯାଇଥିବା ୪ ନମ୍ବର ବୁଥକୁ ରଶ୍ମିରେଖା ମତଦାନ କରିବାକୁ ଯାଉଥିଲେ। ଏହି ସମୟରେ ପ୍ରଭାକର ନିଜ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ରଶ୍ମିରେଖାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଭାକରକୁ ଗ୍ରାମାଞ୍ଚଳ ପୁଲିସ ଅଟକ ରଖିଛି।
