ପୁନେ: ମହାରାଷ୍ଟ୍ରରେ ବର୍ଷା ବିତ୍ପାତ। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇ, ପୁଣେ, ଥାନେ, ପାଲଘର ଓ ଅନ୍ୟ ସହରରେ ବିଗିଡ଼ିବାରେ ଲାଗିଛି ସ୍ଥିତି। ପ୍ରବଳ ବର୍ଷାରେ ବେହାଲ ହେଲାଣି ମାୟାନଗରୀ ମୁମ୍ବାଇର ଅବସ୍ଥା। ପ୍ରଚୁର ବର୍ଷା ଯୋଗଁ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି। ମୁମ୍ବାଇର ଅନ୍ଧେରୀ ଓ ଚେମ୍ବୁର ଆଦି ଅଞ୍ଚଳ ଉବୁଟୁବୁ ହେଉଛି। ପୁଣେ ଅବସ୍ଥା ସଂଘାତିକ ହେଲାଣି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। କେତେକ ସ୍ଥାନରେ ଅଣ୍ଟାଏ ପାଣି ଚାଲୁଛି। ଫଳରେ ବହୁ ଅଞ୍ଚଳ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି।
ଲଗାଣ ବର୍ଷାକୁ ଦେଖି ପୁଣେ ସମେତ ଆଖପାଖ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ମୁମ୍ବାଇର ଅଧିକାଂଶ ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୁଣେରେ ଲଗାଣ ବର୍ଷା ଯୋଗୁ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ସ୍ଥିତି ଅଧିକ ଖରାପ ହେବାକୁ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନର ସହାୟତା ନେଇଛି ସେନା।
ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଏଯାବତ ୪ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟରେ NDRF, ଅଗ୍ନିଶମ ବାହିନୀ, ସ୍ଥାନୀୟ ପ୍ରଶାସନିକ ଟିମ୍ ବି ନିୟୋଜିତ ଅଛନ୍ତି।
