ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ୍ ଜାରି ରହିବ। ଆଉ ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ଉପକୂଳ ଓଡ଼ିଶାରେ ପାଞ୍ଚ ଦିନ ପ୍ରଚଣ୍ଡ ଗୁଳୁଗୁଳି ହେବ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।
ସେ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ କରଯାଇଛି। ୧୨ ଟି ସହରରେ ୪୧ ଡିଗ୍ରୀ ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଧୀରେ ଧୀରେ ଦିନ ତାପମାତ୍ରା ହ୍ରାସ ପାଇଛି। କିନ୍ତୁ ବେଶୀ ହ୍ରାସ ପାଇନାହିଁ। ହିଟ୍ୱେଭ୍ ଜାରି ରହିବ। ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଜୁନ୍ ୨ (ଆଜି), ୩ ଓ ୪ ତାରିଖରେ ହିଟ୍ ୱେଭ ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ତାପମାତ୍ରାରେ ୧ ବା ୨ ଡିଗ୍ରୀ ହ୍ରାସ ହୋଇପାରେ। ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ବା ତା’ ଉପରେ ତାପମାତ୍ରା ରହିବାର ସମ୍ଭାବନା ରହିଛି।
