ଲିଙ୍ଗରାଜ ମନ୍ଦିରରେ ଫଟୋ ଓ ଭିଡିଓ ଶୁଟିଂ କରି ବିବାଦରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର: ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଶ୍ରୀଲିଙ୍ଗରାଜ ମନ୍ଦିର ପରିସର ଭିତରେ ଫଟୋ ଓ ଭିଡିଓ ଶୁଟିଂ କରି ବିବାଦରେ ଫସିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ ଆଉ ଫଟୋ ଉଠାଇଲେ ସେନେଇ ବିବାଦ ଉଠିଛି ।

ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇନଥିଲା କି। ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ । କୁହାଯାଉଛି ଶିଳ୍ପାଙ୍କ ସହ ଫଟୋରେ ଥିବା ବ୍ୟକ୍ତି ଜଣକ ଜଣେ ସେବାୟତ । ଲିଙ୍ଗରାଜ ମନ୍ଦିରରେ ବାରମ୍ବାର ଏଭଳି ଆଇନର ଉଲ୍ଲଙ୍ଘନ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଶିଳ୍ପା ବାହାର ରାଜ୍ୟର ହୋଇଥିବାରୁ ସେ ହୁଏତ ଏ କଟକଣା ସଂପର୍କ‌ରେ ଜାଣି ନଥିବେ। କିନ୍ତୁ ମନ୍ଦିରର ସୁରକ୍ଷା ଦାୟିତ୍ବ‌ରେ ଥିବା ପୁଲିସ୍‌ ଓ ମନ୍ଦିର ପ୍ରଶାସନ କ’ଣ କରୁଥିଲା। ଏନେଇ ତାଙ୍କୁ କାହିଁକି ବାରଣ କରାଗଲା ନାହିଁ। ବାରଣ ତ ଦୂରର କଥା, ମନ୍ଦିର ଭିତରକୁ ମୋବାଇଲ୍‌ ବା କ୍ୟାମେରା ଯିବା ବେଳେ ତାହା କାହିଁକି ଯାଞ୍ଚ କରାଗଲା ନାହିଁ। ଖାଲି ସେତିକି ନୁହେଁ, ଫଟୋ ଓ ଭିଡିଓରେ ଶିଳ୍ପାଙ୍କ ସହ ଜଣେ ସେବାୟତ ନଜର ଆସୁଛନ୍ତି। ସେ ଶିଳ୍ପାଙ୍କୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମନ୍ଦିର ସଂପର୍କରେ ସୂଚନା ଦେଉଛନ୍ତି। ତେବେ ସଂପୃକ୍ତ ସେବାୟତଜଣଙ୍କ କ’ଣ ମନ୍ଦିରର ଏହି କଟକଣା ସଂପର୍କରେ ଜାଣିନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ଏହି ଗୋଟିଏ ଘଟଣା ନୁହେଁ, ଅତୀତରେ ମଧ୍ୟ ଅନେକଥର ଶ୍ରୀଲିଙ୍ଗରାଜ ମନ୍ଦିରର ଫଟୋ ଭାଇରାଲ ହେବାର ନଜିର ରହିଛି।

728×90