ନାଇଜେରିଆ: ମଝି ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟି ଚାଲିଗଲା ୨୭ ଜଣଙ୍କ ଜୀବନ । ଉତ୍ତର ନାଇଜେରିଆର ନାଇଜର ନଦୀରେ ଘଟିଛି ଏଭଳି କିଛି ଦୁର୍ଘଟଣା । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଡଙ୍ଗାରେ ପାଖାପାଖି ୨୦୦ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନେ କୋଗୀ ରାଜ୍ୟରୁ ପଡ଼ୋଶୀ ରାଜ୍ୟ ନାଇଜରକୁ ଯାଉଥିଲେ । ମାତ୍ର ଅଧାବାଟରେ ଘଟିଥିଲା ଏପରି ଏକ ଅଘଟଣ । ତେବେ ଏହି ଅଘଟଣ ପରେ ନଦୀରୁ ୨୭ ଜଣଙ୍କ ଶବ ଜବତ କରାଯାଇଛି । ଏଥିସହିତ ଅନ୍ୟ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି ।
ଘଟଣା ଘଟିବାର ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନଥିଲା । ଡଙ୍ଗାଟିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାଉଥିଲେ ବୋଲି କୁହାଯାଉଛି । ସେହି କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି । ତେବେ ଡଙ୍ଗା ବୁଡିଥିବା ସ୍ଥାନ ଅତି ଗଭୀର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି । ଡଙ୍ଗାରେ ଅଧିକାଂଶ ମହିଳା ଥିଲେ । ସେମାନେ ବଜାରରେ ଖାଦ୍ୟ ସାମଗ୍ରୀ ବିକ୍ରି ପାଇଁ ଯାଉଥିଲେ ।
ସୂଚନାଯୋଗ୍ୟ ଯେ, ନାଇଜେରିଆର ବିଭିନ୍ନ ଅଞ୍ଚଳରେ ଭଲ ସଡ଼କ ପଥର ଅଭାବ ହେତୁ ଲୋକଙ୍କ ନିକଟରେ ଜଳ ହିଁ ଏକମାତ୍ର ବିକଳ୍ପ ସେଥିପାଇଁ, ଅନେକ ସମୟରେ ଡଙ୍ଗା ବୁଡ଼ି ଘଟଣା ସାମ୍ନାକୁ ଆସିଥାଏ । ତେବେ ନାଇଜେରିଆରେ ଏଭଳି ଘଟଣା ବହୁତ ଦେଖିବାକୁ ମିଳିଥାଏ । ଅଧିକାଂଶ ଦୁର୍ଘଟଣା ଡଙ୍ଗାରେ ଓଭରଲୋଡ ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଘଟିଥାଏ ।
