ରାୟଗଡ଼ା: ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲା ନେଇ ରାୟଗଡ଼ା ଏସ୍ଡିଜେଏମ୍ ବର୍ଷା ଦାଶ ମଙ୍ଗଳବାର ବଡ଼ ଶୁଣାଣି କରିଛନ୍ତି। ଏହି ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏନ୍ ଭାସ୍କରଙ୍କ ସମେତ ମୋଟ ୬ ଜଣଙ୍କ ନାଁରେ ଗିରଫ ପରୱାନା (ଏନ୍ବିଡବ୍ଲୁ୍ୟ) ଜାରି କରିଛନ୍ତି। ଅନ୍ୟମାନେ ହେଲେ ୟେଲା ଭେଙ୍କେଟେଶ୍ବର ରାଓ(କୋଣ୍ଡାବାବୁ), କେ. କ୍ରୀଷ୍ନା ରାଓ, ଇପିଲି ସନ୍ୟାସି ରାଜୁ, ଏନ. ଆଦି ନାରାୟଣା ଓ ପି.ଦିଲୀପ କୁମାର। କୋର୍ଟ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଶୁଣାଣି କରିଛନ୍ତି।
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ରାଜ୍ୟରେ ବିଜେଡି ସରକାର ଚାଲିଥିବାରୁ ପୁଲିସ୍ ଜାଣିଶୁଣି ଅଭିଯୁକ୍ତଙ୍କୁ ଧରୁନଥିଲା। ଯେଉଁଥିପାଇଁ ଏକ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଛି।
