ବରଗଡ଼: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନୂଆ କଂସ ମିଳିଛି। ଏଥର ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ସମୟରେ ବରଗଡ଼ ସହରରେ ରାଜ୍ କରିବେ। ତାଙ୍କର ଇସାରାରେ ବରଗଡ଼ ପରିଚାଳିତ ହେବ। ସେ କଡ଼ା ସଂଳାପ କହି ମୁକ୍ତାକାଶ ରଂଗମଞ୍ଚକୁ ଦୁଲୁକାଇବେ। ଚୟନ କମିଟି ଆଜି ଭୁବନେଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଛି। ଶ୍ରୀ ପ୍ରଧାନ ଅନ୍ୟ ୩ ଜଣଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ବାଜି ମାରିଛନ୍ତି। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଧନୁଯାତ୍ରା କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଚୟନ ପାଇଁ ଅଡିସନରେ ଭୁବନେଶ୍ବର ପଧାନ, ଜଗଦାନନ୍ଦ ମିଶ୍ର, ଆର୍ତ୍ତତ୍ରାଣ ସୁନାନି ଓ ସୁଶୀଲ ମେହେର ସାମିଲ ହୋଇଥିଲେ। ଏହି ୪ ଜଣ ୨୦୨୨ ମସିହାରେ ଦ୍ଵିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ଥିଲେ। ହୃଷୀକେଶ ଭୋଇ ଏଥର ବାଦ୍ ପଡ଼ିଛନ୍ତି ପରେ ନୂଆ କଂସ ଚୟନ କରାଯାଇଥିଲା।
ସୂଚନାଯୋଗ୍ୟ ୭୭ତମ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଆସନ୍ତା ଡିସେମ୍ବର ୪ ତାରିଖରେ ସ୍ଥାପିତ ହେବ। ଏଥର କାର୍ଯ୍ୟକାରୀ କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, ହୃଷିକେଶ ଭୋଇଙ୍କ ସ୍ଥାନ ଅନ୍ୟ ଜଣେ କଳାକାର ନେବେ। ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ସୁପାରିଶ କରିଥିଲେ ଯେ, ଯେହେତୁ ତାଙ୍କ (ହୃଷିକେଶ ଭୋଇ) ବିରୋଧରେ ଅଭିଯୋଗ ଆସିଛି ଓ ସେ ଦୋଷ ମୁକ୍ତ ହୋଇନାହାନ୍ତି। ତେଣୁ ଏଥର ସେ ଧନୁ ଯାତ୍ରାରେ ଅଭିନୟ କଲେ ଏହାର ମର୍ଯ୍ୟାଦା ଓ ଗାରିମା କମିବା ଆଶଙ୍କାରେ କଂସ ଭୂମିକାରେ ଅନ୍ୟ ଜଣଙ୍କୁ ସୁଯୋଗ ଦିଆଯିବ।
