ବଜରଙ୍ଗ ପୁନିଆ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (ନାଡା) ରେସଲର ବଜରଙ୍ଗ ପୁନିଆଙ୍କୁ ୪ବର୍ଷ ବାସନ୍ଦ କରିଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ପାଇଁ ଚୟନ ବେଳେ ହୋଇଥିବା ଡୋପ୍‌ ଟେଷ୍ଟ ପାଇଁ ସେ ନମୁନା ଦେବାକୁ ମନା କରିଦେଇଥିଲେ। ଟୋକିଓ ଗେମ୍ସ ବ୍ରୋଞ୍ଜ ପଦକ ବିଜେତାଙ୍କୁ ନାଡା ପ୍ରଥମେ ଏପ୍ରିଲ ୨୩ରେ ସସ୍‌ପେଣ୍ଡ କରିଥିଲା। ଓ୍ବାଲର୍‌ଡ ଗଭର୍ନିଂ ବଡି ୟୁଡବ୍ଲ୍ୟୁଡବ୍ଲୁୃ୍ୟ ମଧ୍ୟ ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରିଥିଲା। ବଜରଙ୍ଗ ସାମୟିକ ସସ୍‌ପେଣ୍ଡ ବିରୋଧରେ ଅପିଲ କରିଥିଲେ। ନାଡାର ଆଣ୍ଟି ଡିସିପ୍ଲିନାରୀ ଡୋପିଙ୍ଗ୍‌ ପ୍ୟାନେଲ କିନ୍ତୁ ନାଡା ଆଗତ ଅଭିଯୋଗ ଉପରେ ନୋଟିସ ଜାରି କରିବା ପର୍ଯ୍ୟନ୍ତ ଅର୍ଥାତ ମେ ୧୧ ପର୍ଯ୍ୟନ୍ତ ଏହାର ରଦ୍ଦ କରିଥିଲା। ନାଡା ପରେ ଜୁନ୍‌ ୨୩ରେ ଏହି ରେସ୍‌ଲରଙ୍କ ବିରୋଧରେ ନୋଟିସ ଜାରି କରିଥିଲା। ବଜରଙ୍ଗ ପରେ ତାଙ୍କ ସାଥୀ ରେସଲର ଭିନେଶ ଫୋଗଟଙ୍କ ସହ ଇତିମଧ୍ୟରେ ସର୍ବଭାରତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କୁ ଅଲ୍‌ ଇଣ୍ଡିଆ କିଷାନ କଂଗ୍ରେସର ଦାୟିତ୍ୱ ପ୍ରଦାନ କରାଯାଇଛି। ବଜରଙ୍ଗ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ନେଇ ଜୁଲାଇ ୧୧ରେ ଲିଖିତଭାବେ ଜବାବ ଉପସ୍ଥାପନ କରିଥିଲେ। ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇଥିଲା। ନାଡାର ଆଣ୍ଟି ଡୋପିଙ୍ଗ୍‌ ପ୍ୟାନେଲ ତାଙ୍କ ରାୟରେ କହିଥିଲେ ଯେ, ଆଥ୍‌ଲେଟ ଜଣକୁ ଅନୁଚ୍ଛେଦ ୧୦.୩.୧ ନିୟମର ଉଲ୍ଲଂଘନ କରିଛନ୍ତି। ତଦନ୍‌ୁସାରେ ତାଙ୍କୁ ୪ବର୍ଷ ପାଇଁ ସସ୍‌ପେଣ୍ଡ କରାଯାଇପାରିବ। ସସ୍‌ପେଣ୍ଡ ହେବା ଦ୍ୱାରା ବଜରଙ୍ଗ ପ୍ରତିଯୋଗିତାମୂଳକ ରେସ୍‌ଲିଂକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ କିମ୍ବା ସେ ବିଦେଶରେ କୋଚିଂ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। ବଜରଙ୍ଗଙ୍କୁ ଯେବେ ନୋଟିସ ଜାରି କରାଯାଇଥିଲା ସେହିଦିନଠାରୁ ସସ୍‌ପେଣ୍ଡ ଆଦେଶ କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ, ବଜରଙ୍ଗ ତାଙ୍କ ଜବାବରେ ନିଜକୁ ନିର୍ଦ୍ଦୋଷ ବୋଲି ପୁନର୍ବାର ଦୋହରାଇଥିଲେ। ୨୦୨୩ ଡିସେମ୍ବରରେ ତାଙ୍କଠାରୁ ଏକ୍ସପାୟର କିଟ୍‌ରେ ମୂତ୍ର ନମୁନା ସଂଗ୍ରହକୁ ସେ ବିରୋଧ କରିଥିଲେ।

728×90