କୋଟା ଭିତରେ କୋଟାକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: କୋଟା ଭିତରେ କୋଟା ଉପରେ ମୋହର ଲଗାଇଲେ ସୁପ୍ରିମ୍‌କୋର୍ଟ । ଏଣିକି କୋଟା ଭିତରେ ମିଳିବ କୋଟା। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ହୋଇପାରିବ ଉପବର୍ଗ ବା ସବ୍‌-କ୍ୟାଟେଗୋରୀ। ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ଆଜି ସୁପ୍ରିମକୋର୍ଟ ଏଭଳି କିଛି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ କହିଛନ୍ତି, ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ କୋଟା ଦିଆଯାଇପାରିବ। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ ବହୁମତରେ ୬-୧ ଏହି ନିଷ୍ପତ୍ତି ଗ୍ରହଣ କରିଛି।

ଏଥିରେ ୬ ଜଣ ବିଚାରପତି କୋଟା ଭିତରେ କୋଟାକୁ ସମର୍ଥନ କରିଥିଲେ, ଜଣେ ଭିନ୍ନ ମତ ରଖିଥିଲେ । କୋଟା ଭିତରେ କୋଟାକୁ ସମର୍ଥନ କରିଥିବା ବିଚାରପତିଙ୍କୁ ମଧ୍ୟରୁ ୪ ଜଣ ବିଚାରପତି ସଂରକ୍ଷଣରୁ ସ୍ବଚ୍ଛଳବର୍ଗଙ୍କୁ ବାଦ୍ ଦେବା ଲାଗି ମତ ରଖିଛନ୍ତି । ଜଷ୍ଟିସ ବିଆର ଗଭାଇ କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ କ୍ରିମି ଲେୟାରକୁ ଚିହ୍ନଟ କରିବାକୁ ରାଜ୍ୟଗୁଡିକ ଏକ ନୀତି ପ୍ରସ୍ତୁତ କରିବା ଦରକାର ।ସ୍ବଚ୍ଛଳ ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେବାକୁ ପଦକ୍ଷେପ ନେବା ଦରକାର ବୋଲି କହିଥିଲେ ଜଷ୍ଟିସ ଗଭାଇ । ବର୍ତ୍ତମାନ କେବଳ ପଛୁଆ ବର୍ଗ ସଂରକ୍ଷଣରେ କ୍ରିମି ଲେୟାର ଲାଗୁ ହେଉଛି । ରାୟ ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ କହିଛନ୍ତି, କ୍ରିମି ଲେୟାର ଓବିସି କ୍ଷେତ୍ରରେ ଲାଗୁ ହେଉଛି ତାହା ଅନୁସୂଚିତ ଜାତି କ୍ଷେତ୍ରରେ ମଧ୍ୟ ଲାଗୁ ହୋଇ ପାରିବ ।

ଜଷ୍ଟିସ ପଙ୍କଜ ମିଥଲ କହିଥିଲେ, ସଂରକ୍ଷଣ କେବଳ ପ୍ରଥମ ପିଢ଼ିକୁ ମିଳିବାକୁ ଦରକାର । ଯଦି ପ୍ରଥମ ପିଢ଼ିର କେହି ସଂରକ୍ଷଣ ଜରିଆରେ ଉଚ୍ଚ ସ୍ତରରେ ପହଞ୍ଚୁଛି ତେବେ ଦ୍ବିତୀୟ ପିଢ଼ିକୁ ସଂରକ୍ଷଣ ମଳିବା ଆବଶ୍ୟକ ନୁହଁ । ସ୍ବଚ୍ଛଳ ବର୍ଗକୁ ନେଇ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ମନୋଜ ମିଶ୍ର କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ଜଷ୍ଟିସ ବେଲା ତ୍ରିବେଦୀ ସଂରକ୍ଷଣରେ ସଂରକ୍ଷଣ ବିରୋଧରେ ରାୟ ରଖିଛନ୍ତି ।

କୋଟା ଭିତରେ କୋଟା କ’ଣ?

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ସଂରକ୍ଷଣ ପାଇଁ ଉପ-ବର୍ଗୀକରଣ ବା ସବ୍‌ କ୍ୟାଟେଗୋରୀକୁ “କୋଟା ଭିତରେ କୋଟା” କୁହାଯାଏ। ଏହାର ଅର୍ଥ, ଯଦି ଗୋଟିଏ ସମ୍ପ୍ରଦାୟ କିମ୍ବା ବର୍ଗର ଲୋକଙ୍କୁ ସଂରକ୍ଷଣ ଦିଆଯାଉଛି, ତେବେ ସେହି ବର୍ଗର ସବ୍‌ କ୍ୟାଟେଗୋରୀ କରି ସେମାନଙ୍କ ମଧ୍ୟରେ ସଂରକ୍ଷିତ ସିଟ୍ ବଣ୍ଟନ କରିବା। ଉଦାହରଣ ସ୍ୱରୂପ, ଯଦି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ ୧୫ ପ୍ରତିଶତରେ ସ୍ଥିର ହୋଇଛି, ତେବେ ଏହି ବର୍ଗରେ ଅନ୍ତର୍ଭୁକ୍ତ ଜାତି ଏବଂ ସେମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ପଛୁଆବର୍ଗ ଆଧାରରେ ୧୫ ପ୍ରତିଶତରୁ ହିଁ ବିଭିନ୍ନ ସଂରକ୍ଷଣ ପ୍ରଦାନ କରିବା।

728×90