କିଏ ଗଢ଼ିବ ସରକାର ? ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟରୁ ଆଜି ୪ ରାଜ୍ୟର ଫଳାଫଳ ଘୋଷଣା ହେବାକୁ ଯାଉଛି। ମିଜୋରାମ ଭୋଟ ଗଣତି ସୋମବାର ହେବାକୁ ରହିଥିବା ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନା ରାଜ୍ୟର ଭୋଟ ଗଣତି ଆଜି ହେବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ଏଥିପାଇଁ ଏହି ସମସ୍ତ ରାଜ୍ୟର ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ୪ଟି ରାଜ୍ୟର ବୁଥ୍‌ ବାହୁଡ଼ା ସର୍ଭେ ରିପୋର୍ଟକୁ ନେଇ ସାଧାରଣ ଭୋଟରଙ୍କ ଠାରୁ ଆରମ୍ଭ କରି ରାଜନୀତିକ ମହଲରେ ଉତ୍ସୁକତା ବଢିଥିଲା ବେଳେ ଆସନ୍ତାକାଲିର ଫଳାଫଳକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢିବାରେ ଲାଗିଛି।

ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନର ରେଜଲ୍ଟ ଆସିବ । ଦେଶରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ମାସରୁ କମ୍ ସମୟ ରହିଛି । ଏଭଳି ସ୍ଥିତିରେ ଏହି ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି ।

ତେବେ ରାଜସ୍ଥାନ ଫଳାଫଳକୁ ନେଇ ଏବେ ସେଠାକାର ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ବୁଥ୍‌ ବାହୁଡ଼ା ରିପୋର୍ଟ ଆକଳନ ଅନୁସାରେ ଛତିଶଗଡ଼ ଏବଂ ତେଲଙ୍ଗାନାରେ କଂଗ୍ରେସର ବିଜୟକୁ ଏକପ୍ରକାର ସୁନିଶ୍ଚିତ କରାଯାଇଛି। ମଧ୍ୟପ୍ରଦେଶ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି ଆକଳନ କରାଯାଇଥିଲା ବେଳେ ରାଜସ୍ଥାନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା ନେଇ ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି। ଏଭଳି ସ୍ଥିତିରେ ଏଠାକାର ସ୍ବାଧୀନ ଏବଂ ଛୋଟ ଦଳର ବିଜୟୀ ପ୍ରାର୍ଥୀ ସରକାର ଗଠନ ଦିଗରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ ପକ୍ଷରୁ ରାଜସ୍ଥାନରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶନିବାର ବିଜେପି ନେତ୍ରୀ ବସୁନ୍ଧରା ରାଜେ ପ୍ରସିଦ୍ଧ ବାଲାଜୀ ମନ୍ଦିର ଦର୍ଶନ କରିବା ସହିତ ଦଳୀୟ ନେତାଙ୍କୁ ଏକାଠି କରି ରଣନୀତି ପ୍ରସ୍ତୁତ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ବସୁନ୍ଧରାଙ୍କୁ ସେତେଟା ସାମ୍ନାକୁ ଆଣି ନଥିଲା। କିନ୍ତୁ ଶନିବାର ବସୁନ୍ଧରାଙ୍କ ତତ୍ପରତାକୁ ନେଇ ବିଜେପି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଯଦି ଏଠାରେ ବିଜେପି ବିଜୟୀ ହୁଏ ତେବେ ସେ ହିଁ ପରବର୍ତ୍ତୀ ମୁଖ୍ୟ ହେବେ ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ନେତୃତ୍ବରେ କଂଗ୍ରେସ ନେତା ମଧ୍ୟ ଏକାଠି ହୋଇ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବୋଲି କୁହାଯାଇଛି।

ଭୋଟ୍ ଗଣତି ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ବୈଧ ପାସ୍ ଥିବା ଲୋକଙ୍କୁ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ମେ ମାସରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ହଟାଇବା ପରେ କଂଗ୍ରେସର ନଜର ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଉପରେ ରହିଛି । ଏହାଛଡ଼ା ଦଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତା ବଜାୟ ରଖିବାକୁ ଆଶା ରଖିଛି।

728×90